इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

କʼଣ ଆପଣ ଜାଣନ୍ତି ?

କʼଣ ଆପଣ ଜାଣନ୍ତି ?

ଇସ୍ରାଏଲୀୟମାନଙ୍କ ପାଇଁ ସଙ୍ଗୀତ ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା, ଏପରି ଆମେ କାହିଁକି କହିପାରିବା ?

ସଙ୍ଗୀତ ପ୍ରାଚୀନ ଇସ୍ରାଏଲ ସଂସ୍କୃତିର ଗୋଟିଏ ବିଶେଷ ଭାଗ ଥିଲା । ବାଇବଲର ଅନେକ ପଦରେ ଲେଖାଯାଇଛି ଯେ ଲୋକମାନେ ବାଦ୍ୟଯନ୍ତ୍ର ବଜାଉଥିଲେ ଓ ଗୀତ ବି ଗାଉଥିଲେ । ଯଦି ଆମେ ବାଇବଲରେ ଦେଖିବା ତାହେଲେ ବାଇବଲର ଅନେକ ବହି ଗୀତ ହିଁ ଅଟେ । ଯେପରି, ଗୀତସଂହିତା ବହି, ପରମଗୀତ ଏବଂ ଯିରିମୀୟଙ୍କ ବିଳାପ ବହି । ପ୍ରାଚୀନ ଇସ୍ରାଏଲ ବିଷୟରେ ଗୋଟିଏ ବହିରେ ଲେଖାଅଛି, “ବାଇବଲରୁ ସ୍ପଷ୍ଟ ଜଣାପଡ଼େ ଯେ ଇସ୍ରାଏଲୀୟମାନଙ୍କ ଜୀବନରେ ସଙ୍ଗୀତ ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା । ସେମାନେ ଅଲଗା ଅଲଗା ସମୟରେ ଗୀତ ଗାଉଥିଲେ ଏବଂ ବାଦ୍ୟଯନ୍ତ୍ର ବଜାଉଥିଲେ ।”—ମ୍ୟୁଜିକ୍‌ ଇନ୍‌ ବିବ୍ଲିକଲ୍‌ ଲାଇଫ୍‌ ।

ପ୍ରତିଦିନର ଜୀବନରେ । ଇସ୍ରାଏଲୀୟମାନେ ପ୍ରାୟତଃ ନିଜ ଭାବନା ପ୍ରକାଶ କରିବା ପାଇଁ ବାଦ୍ୟଯନ୍ତ୍ର ବଜାଉଥିଲେ ଏବଂ ଗୀତ ଗାଉଥିଲେ । (ଯିଶା. ୩୦:୨୯) ଯେବେ କାହାରିକୁ ରାଜା ନିଯୁକ୍ତ କରାଯାଉଥିଲା, କୌଣସି ପର୍ବ ପାଳନ କରାଯାଉଥିଲା କିମ୍ବା ଯଦି କେହି ଯୁଦ୍ଧରେ ଜୟ ହାସଲ କରୁଥିଲେ, ତେବେ ସ୍ତ୍ରୀମାନେ ଦାରା ବଜାଇ ଖୁସିର ସହ ଗୀତ ଗାଉଥିଲେ ଓ ନାଚୁଥିଲେ । (ବିଚା. ୧୧:୩୪; ୧ ଶାମୁ. ୧୮:୬, ୭; ୧ ରାଜା. ୧:୩୯, ୪୦) ଯେବେ କାହାରି ପ୍ରିୟଜନଙ୍କ ମୃତ୍ୟୁ ହୋଇଯାଉଥିଲା, ତେବେ ମଧ୍ୟ ସେମାନେ ନିଜ ଦୁଃଖ ପ୍ରକାଶ କରିବା ପାଇଁ ବିଳାପ ଗୀତ ଗାଉଥିଲେ । (୨ ବଂଶା. ୩୫:୨୫) ମେକ୍ଲିଂଟୋକ୍‌ ଓ ଷ୍ଟ୍ରଙ୍ଗ୍‌ ବିଶ୍ୱକୋଷରେ କୁହାଯାଇଛି, “ଇସ୍ରାଏଲୀୟମାନେ ସଙ୍ଗୀତକୁ ବହୁତ ଭଲ ପାଉ ଥିଲେ ।”

ରାଜଦ୍ୱାରରେ । ଇସ୍ରାଏଲର ରାଜାମାନଙ୍କୁ ସଙ୍ଗୀତ ବହୁତ ଭଲ ଲାଗୁଥିଲା । ଯେପରି, ରାଜା ଶାଉଲ ଦାଉଦଙ୍କୁ ନିଜ ମହଲରେ ବୀଣା ବଜାଇବା ପାଇଁ ରଖିଥିଲେ । (୧ ଶାମୁ. ୧୬:୧୮, ୨୩) ଆଉ ପରେ ଯେବେ ଦାଉଦ ରାଜା ହେଲେ, ସେସମୟରେ ସେ ଅନେକ ବାଦ୍ୟଯନ୍ତ୍ର ତିଆରି କଲେ, ସୁନ୍ଦର ଗୀତଗୁଡ଼ିକ ରଚନା କଲେ ଏବଂ ଯିହୋବାଙ୍କ ମନ୍ଦିରରେ ବାଦ୍ୟଯନ୍ତ୍ର ବଜାଇବା ପାଇଁ ଗୋଟିଏ ସମୂହକୁ ନିଯୁକ୍ତ କଲେ । (୨ ବଂଶା. ୭:୬; ଆମୋ. ୬:୫) ରାଜା ଶଲୋମନଙ୍କ ରାଜଦ୍ୱାରରେ ମଧ୍ୟ ଅନେକ ଗାୟକ ଓ ଗାୟିକା ଥିଲେ ।—ଉପ. ୨:୮.

ଉପାସନାରେ । ଇସ୍ରାଏଲୀୟମାନେ ବିଶେଷ କରି ଯିହୋବାଙ୍କ ଉପାସନା କରିବା ସମୟରେ ବାଦ୍ୟଯନ୍ତ୍ର ବଜାଉଥିଲେ ଏବଂ ତାଙ୍କ ପ୍ରଶଂସା କରିବା ପାଇଁ ଗୀତ ଗାଉଥିଲେ । ଯିରୂଶାଲମ ମନ୍ଦିରରେ ବାଦ୍ୟଯନ୍ତ୍ର ବଜାଇବା ପାଇଁ ୪,୦୦୦ ଲୋକ ଥିଲେ । (୧ ବଂଶା. ୨୩:୫) ସେମାନେ କରତାଳ, ନେବଲ, ବୀଣା ଓ ତୂରୀ ବଜାଉଥିଲେ । (୨ ବଂଶା. ୫:୧୨) ଏହି ନିପୂଣ ସଙ୍ଗୀତକାରମାନଙ୍କ ଛଡ଼ା ଅନ୍ୟ ଇସ୍ରାଏଲୀୟମାନେ ମଧ୍ୟ ଯିହୋବାଙ୍କ ଉପାସନା କରିବା ପାଇଁ ଗୀତ ଗାଉଥିଲେ । ଯେପରି, ଯେବେ ସେମାନେ ବର୍ଷରେ ତିନିଥର ପର୍ବ ପାଳନ କରିବା ପାଇଁ ଯିରୂଶାଲମ ଯାଉଥିଲେ, ତେବେ ଏପରି ଜଣାପଡ଼େ ଯେ ସେମାନେ ଯିବା ସମୟରେ ‘ଆରୋହଣ ଗୀତ’ ଗାଉଥିଲେ । (ଗୀତ. ୧୨୦–୧୩୪) ତାʼଛଡ଼ା ପ୍ରାଚୀନ ଯିହୁଦୀ ଲେଖାଗୁଡ଼ିକରେ କୁହାଯାଇଛି ଯେ ଇସ୍ରାଏଲୀୟମାନେ ପ୍ରଭୁଭୋଜ ସମୟରେ ‘ହାଲ୍ଲେଲ୍‌ ଗୀତ’ a ଗାଉଥିଲେ ।

ଆଜି ମଧ୍ୟ ଯିହୋବାଙ୍କ ଲୋକମାନଙ୍କ ପାଇଁ ସଙ୍ଗୀତ ବହୁତ ମହତ୍ତ୍ୱ ରଖେ । (ଯାକୁ. ୫:୧୩) ଆମେ ଯିହୋବାଙ୍କ ଉପାସନା କରିବା ସମୟରେ ଗୀତ ଗାଉ । (ଏଫି. ୫:୧୯) ଆଉ ଯେବେ ଆମେ ଭାଇଭଉଣୀମାନଙ୍କ ସହ ମିଶି ଏପରି କରୁ, ତେବେ ଆମେ ପରସ୍ପରର ଆହୁରି ନିକଟତର ହୋଇପାରୁ । (କଲ. ୩:୧୬) କେବଳ ଏତିକି ନୁହେଁ, ସମସ୍ୟାଗୁଡ଼ିକର ସାମନା କରିବା ସମୟରେ ମଧ୍ୟ ଆମକୁ ସଙ୍ଗୀତରୁ ବହୁତ ସାହସ ମିଳେ । (ପ୍ରେରି. ୧୬:୨୫) ଯିହୋବାଙ୍କ ଉପରେ ଆମର ବିଶ୍ୱାସ ଏବଂ ତାଙ୍କୁ ଆମର ପ୍ରେମ ଦେଖାଇବା ପାଇଁ ସଙ୍ଗୀତ ଗୋଟିଏ ବଢ଼ିଆ ଉପାୟ ଅଟେ ।

a ଯିହୁଦୀ ଗୀତସଂହିତା ୧୧୩ ଅଧ୍ୟାୟରୁ ୧୧୮ ଅଧ୍ୟାୟକୁ ‘ହାଲ୍ଲେଲ୍‌ ଗୀତ’ କହୁଥିଲେ । ଏହି ଗୀତ ସେମାନେ ଯିହୋବାଙ୍କ ପ୍ରଶଂସା କରିବା ପାଇଁ ଗାଉଥିଲେ ।