ଅଧ୍ୟୟନ ଲେଖା ୬
ଗୀତ ୧୮ ମୁକ୍ତି ପାଇଁ କୃତଜ୍ଞ
ଯିହୋବା ଆପଣଙ୍କୁ କ୍ଷମା କରନ୍ତି—ତାଙ୍କୁ କୃତଜ୍ଞତା ଦେଖାନ୍ତୁ
“ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ ।”—ଯୋହ. ୩:୧୬.
କʼଣ ଶିଖିବା ?
ଆମେ ଜାଣିବା ଯେ ଯିହୋବା ଆମ ପାପଗୁଡ଼ିକୁ କ୍ଷମା କରିବା ପାଇଁ ବହୁତ କିଛି କରିଛନ୍ତି । ଏହା ଜାଣିବା ଦ୍ୱାରା ଯିହୋବାଙ୍କ ପାଇଁ ଆମ ହୃଦୟ ଆହୁରି କୃତଜ୍ଞତାରେ ଭରିଯିବ ।
୧-୨. ଆମ ପରିସ୍ଥିତି କିପରି ପାରାଗ୍ରାଫରେ ଦିଆଯାଇଥିବା ଯୁବକ ଭଳି ଅଟେ ?
ଧନୀ ପରିବାରର ଗୋଟିଏ ଯୁବକ ବିଷୟରେ ଭାବନ୍ତୁ । ଦିନେ ତାକୁ ଜଣାପଡ଼େ ଯେ ତାʼ ବାପାମାଆଙ୍କର ଗୋଟିଏ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଏହା ଶୁଣି ସେ ଦୁଃଖରେ ପୂରାପୂରି ଭାଙ୍ଗିପଡ଼େ । କିନ୍ତୁ ତାʼସହ ତାକୁ ଆଉ ଗୋଟିଏ କଥା ମଧ୍ୟ ଜଣାପଡ଼େ ଯେ ତାʼ ବାପାମାଆ ସବୁ ଧନ ସମ୍ପତ୍ତି ଶେଷ କରିଦେଇଛନ୍ତି ଏବଂ ଗୋଟିଏ ବଡ଼ ଋଣ ମଧ୍ୟ ନେଇଛନ୍ତି । ଆଉ ଏବେ ତାକୁ ହିଁ ଏହି ଋଣ ସୁଝିବାକୁ ପଡ଼ିବ । କେବଳ ଏତିକି ନୁହେଁ, ଯେଉଁମାନେ ଋଣ ଦେଇଥିଲେ ସେମାନେ ତାʼ ପଛରେ ପଡ଼ିଛନ୍ତି । କʼଣ ଆପଣ କଳ୍ପନା କରିପାରୁଛନ୍ତି ଯେ ସେହି ଯୁବକକୁ କିପରି ଲାଗୁଥିବ ? ତାʼ ଉପରେ ଗୋଟିଏ ଏପରି ଋଣର ବୋଝ ଥିଲା, ଯାହା ସେ ଜୀବନସାରା ସୁଝିପାରନ୍ତା ନାହିଁ ।
୨ ଆମ ସହ ମଧ୍ୟ ଏପରି ହିଁ କିଛି ହୋଇଛି । ଆମ ପ୍ରଥମ ବାପାମାଆ ଆଦମ ଏବଂ ହବା ପରିପୂର୍ଣ୍ଣ ଥିଲେ ଓ ସେମାନେ ଗୋଟିଏ ସୁନ୍ଦର ଜାଗାରେ ରହୁଥିଲେ । (ଆଦି. ୧:୨୭; ୨:୭-୯) ତାଙ୍କ ପାଖରେ ସବୁକିଛି ଥିଲା ଏବଂ ସେମାନେ ସବୁଦିନ ପାଇଁ ବଞ୍ଚିପାରିଥାʼନ୍ତେ । କିନ୍ତୁ ପରେ ସବୁକିଛି ବଦଳି ଗଲା । ସେମାନେ ନିଜ ପାରଦୀଶ ଭଳି ଘରକୁ ଏବଂ ସବୁଦିନ ବଞ୍ଚିବାର ସୁଯୋଗକୁ ହରାଇ ଦେଲେ । କିନ୍ତୁ ଆଦମ ଓ ହବା ନିଜ ପିଲାମାନଙ୍କୁ ଅର୍ଥାତ୍ ଆମକୁ କʼଣ ଦେଲେ ? ବାଇବଲ କହେ, “ଯେପରି ଜଣେ ଲୋକ [ଆଦମ] ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହିପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ ।” (ରୋମୀ. ୫:୧୨) ଆଦମ ଯୋଗୁଁ ଆମକୁ ପାପ ମିଳିଲା ଏବଂ ପାପ ଯୋଗୁଁ ଆମେ ସମସ୍ତେ ମରିଯାଉ । ଏହି ପାପ ଗୋଟିଏ ବହୁତ ବଡ଼ ଋଣ ଭଳି ଅଟେ ଯାହାକୁ ଆମେ କେବେ ବି ସୁଝିପାରିବା ନାହିଁ ।—ଗୀତ. ୪୯:୮.
୩. ଯୀଶୁ ପାପର ତୁଳନା କାହା ସହ କଲେ ଏବଂ କାହିଁକି ?
୩ ବାଇବଲରେ ପାପର ତୁଳନା “ଋଣ” ସହିତ କରାଯାଇଛି । (ମାଥି. ୧୮:୩୨-୩୫) ଯେବେ ଆମେ ପାପ କରୁ, ତେବେ ଆମେ ଯିହୋବାଙ୍କ ଋଣୀ ହୋଇଯାଉ ଆଉ ଆମକୁ ଯେମିତି ହେଲେ ବି ଏହି ଋଣ ସୁଝିବାକୁ ପଡ଼ିବ । ଆଉ ଯଦି ଆମେ ଏହି ଋଣ ସୁଝିବା ନାହିଁ, ତାହେଲେ ମୃତ୍ୟୁ ପରେ ହିଁ ଆମେ ଏଥିରୁ ମୁକ୍ତ ହୋଇପାରିବା ।—ରୋମୀ. ୬:୭, ୨୩.
୪. (କ) ଯଦି ଆମ ମଣିଷମାନଙ୍କୁ ସାହାଯ୍ୟ କରାଯାଇ ନ ଥାʼନ୍ତା, ତେବେ ଆମ ଅବସ୍ଥା କିପରି ହୁଅନ୍ତା ? (ଗୀତସଂହିତା ୪୯:୭-୯) (ଖ) ବାଇବଲ ଅନୁସାରେ “ପାପ” ଶବ୍ଦର ଅର୍ଥ କʼଣ ? (“ ପାପ” ନାମକ ବକ୍ସ ଦେଖନ୍ତୁ ।)
୪ ଆଦମ ଓ ହବା ଯାହା ହରାଇଲେ ତାହାକୁ ଆମେ ନିଜ ବଳରେ ଫେରାଇ ଆଣିପାରିବା ନାହିଁ । (ଗୀତସଂହିତା ୪୯:୭-୯ ପଢ଼ନ୍ତୁ ।) ଆଉ ଯଦି ଆମକୁ କେହି ସାହାଯ୍ୟ କରି ନ ଥାʼନ୍ତେ, ତାହେଲେ ଆମକୁ ଅନନ୍ତ ଜୀବନ ଓ ପୁନରୁତ୍ଥାନର ଆଶା ମିଳି ନ ଥାʼନ୍ତା । ଆମ ଅବସ୍ଥା ପଶୁମାନଙ୍କ ଭଳି ହୋଇଥାʼନ୍ତା ଯେଉଁମାନେ ଜନ୍ମ ହୁଅନ୍ତି ଓ ଦିନେ ମରିଯାʼନ୍ତି । ତାଙ୍କ ପାଖରେ କୌଣସି ଆଶା ନ ଥାଏ ।—ଉପ. ୩:୧୯; ୨ ପିତ. ୨:୧୨.
୫. ଆମ ପାପର ଋଣ ସୁଝିବା ପାଇଁ ଆମ ପିତା ଯିହୋବା କʼଣ କଲେ ? (ଚିତ୍ର ଦେଖନ୍ତୁ ।)
୫ ପୁଣିଥରେ ସେହି ଯୁବକ ବିଷୟରେ ଭାବନ୍ତୁ, ଯାହା ପାଖରେ ଜଣେ ଧନୀ ଓ ଦୟାଳୁ ଲୋକ ଆସି କହେ ଯେ ସେ ତାʼର ସବୁ ଋଣ ସୁଝିଦେବ । ଏହା ଶୁଣି ସେହି ଯୁବକକୁ କିପରି ଲାଗିବ ? ସେହି ବ୍ୟକ୍ତି ପାଇଁ ତାʼ ହୃଦୟ କୃତଜ୍ଞତାରେ ଭରିଯିବ ଏବଂ ସେ ଖୁସି ଖୁସି ସେହି ବ୍ୟକ୍ତିର ସାହାଯ୍ୟ ସ୍ୱୀକାର କରିବ । ସେହି ଧନୀ ବ୍ୟକ୍ତିଙ୍କ ଭଳି ଆମ ପ୍ରେମମୟୀ ପିତା ଯିହୋବା ମଧ୍ୟ ଆମକୁ ସାହାଯ୍ୟ କରିଛନ୍ତି । ଆମ ପାପଗୁଡ଼ିକର ଋଣ ସୁଝିବା ପାଇଁ ସେ କʼଣ କଲେ ? ବାଇବଲରେ ଲେଖାଅଛି, “ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।” (ଯୋହ. ୩:୧୬) ଆମ ପାପଗୁଡ଼ିକର କ୍ଷମା ପାଇଁ ଯିହୋବା ନିଜର ଅଦ୍ୱିତୀୟ ପୁତ୍ରକୁ ଦେଇଦେଲେ । ଏହି ଉପହାର ଯୋଗୁଁ ହିଁ ଆମେ ଯିହୋବାଙ୍କ ସହିତ ଗୋଟିଏ ଭଲ ସମ୍ପର୍କ ଗଢ଼ିପାରିଛୁ ।
୬. ଏହି ଲେଖାରେ ଆମେ କେଉଁ ଶବ୍ଦଗୁଡ଼ିକର ଅର୍ଥ ଜାଣିବା ଓ କାହିଁକି ?
୬ ଯିହୋବା ଆମକୁ ଯେଉଁ ଉପହାର ଦେଇଛନ୍ତି, ସେଥିରୁ ଆମ ପାପ ବା “ଋଣ” କ୍ଷମା ହୋଇପାରିବ । କିନ୍ତୁ ଏହି ଉପହାରରୁ ପୂରା ଲାଭ ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମକୁ ବାଇବଲରେ ଦିଆଯାଇଥିବା କିଛି ଶବ୍ଦଗୁଡ଼ିକର ଅର୍ଥ ବୁଝିବାକୁ ପଡ଼ିବ । ଯେପରି ମିଳିତ ହେବା, ପ୍ରାୟଶ୍ଚିତ୍ତ, ମୁକ୍ତିର ମୂଲ୍ୟ, ମୁକ୍ତ ଓ ଧାର୍ମିକ ଗଣିତ ହେବା । ଏହି ଲେଖାରେ ଆମେ ଏହି ଶବ୍ଦଗୁଡ଼ିକର ଅର୍ଥ ଜାଣିବା । ଏଥିରୁ ଆମେ ବୁଝିପାରିବା ଯେ ଆମ ପାପ କ୍ଷମା କରିବା ପାଇଁ ଯିହୋବା ବହୁତ କିଛି କରିଛନ୍ତି ଏବଂ ତାଙ୍କ ପାଇଁ ଆମ ହୃଦୟ କୃତଜ୍ଞତାରେ ଭରିଯିବ ।
ଯିହୋବା ଚାହାନ୍ତି ଯେ ତାଙ୍କ ସହ ଆମେ ମିଳିତ ହେଉ
୭. (କ) ଆଦମ ଓ ହବା ସବୁଦିନ ପାଇଁ ବଞ୍ଚିବାର ସୁଯୋଗ ହରାଇବା ସହିତ ଆଉ କʼଣ ହରାଇଲେ ? (ଖ) ଆଦମ ଓ ହବାର ସନ୍ତାନ ହେବା ଯୋଗୁଁ ଆମ ପାଇଁ କʼଣ କରିବା ଜରୁରୀ ? (ରୋମୀୟ ୫:୧୦, ୧୧)
୭ ଆଦମ ଓ ହବା ସବୁଦିନ ପାଇଁ ବଞ୍ଚିବାର ସୁଯୋଗକୁ ହରାଇ ଦେଲେ । ତାʼ ସହିତ ସେମାନେ ଯିହୋବାଙ୍କ ସହ ତାଙ୍କର ବିଶେଷ ସମ୍ପର୍କକୁ ମଧ୍ୟ ହରାଇ ଦେଲେ । ସେମାନେ ଦୁହେଁ ଯିହୋବାଙ୍କ ପରିବାରର ସଦସ୍ୟ ଥିଲେ । (ଲୂକ ୩:୩୮) କିନ୍ତୁ ସେମାନେ ଯିହୋବାଙ୍କ ଆଜ୍ଞା ମାନିଲେ ନାହିଁ । ଏହି କାରଣ ଯୋଗୁଁ ଯିହୋବା ସେ ଦୁହିଁଙ୍କୁ ନିଜ ପରିବାରରୁ ବାହାର କରିଦେଲେ ଏବଂ ସେଠାରୁ ବାହାରିବା ପରେ ସେମାନଙ୍କର ସନ୍ତାନ ହେଲେ । (ଆଦି. ୩:୨୩, ୨୪; ୪:୧) ଆମେ ବି ସେମାନଙ୍କର ସନ୍ତାନ ଅଟୁ, ସେଥିପାଇଁ ଯିହୋବାଙ୍କ ସହ ଆମେ ମିଳିତ ହେବା ଓ ତାଙ୍କ ସହ ଆମର ଗୋଟେ ଭଲ ସମ୍ପର୍କ ଗଢ଼ିବା ବହୁତ ଜରୁରୀ । (ରୋମୀୟ ୫:୧୦, ୧୧ ପଢ଼ନ୍ତୁ ।) ଗୋଟିଏ ବହିରେ ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ମିଳିତ ହେବା” କରାଯାଇଛି, ତାʼର ଅର୍ଥ ଏହା ବି ଅଟେ ଯେ “ଶତ୍ରୁକୁ ନିଜ ସାଙ୍ଗ କରିବା ।” ଆଉ ଆମ ପାଇଁ ଏହା କେତେ ବଢ଼ିଆ କଥା ଯେ ଯିହୋବା ନିଜେ ଆମ ସହ ସାଙ୍ଗ ହେବା ପାଇଁ ଚାହାନ୍ତି ! ତାହା କିପରି ?
ଯିହୋବା ପ୍ରାୟଶ୍ଚିତ୍ତର ବ୍ୟବସ୍ଥା କଲେ
୮. ପ୍ରାୟଶ୍ଚିତ୍ତର ବ୍ୟବସ୍ଥା କʼଣ ?
୮ ଆମ ଅପରିପୂର୍ଣ୍ଣ ମଣିଷମାନଙ୍କ ସହ ପୁଣିଥରେ ଏକ ସମ୍ପର୍କ ଗଢ଼ିବା ପାଇଁ ଯିହୋବା ଗୋଟିଏ ବ୍ୟବସ୍ଥା କଲେ । ଏହା ହେଉଛି, ପ୍ରାୟଶ୍ଚିତ୍ତର ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ଗୋଟିଏ ଜିନିଷ ବଦଳରେ ଅନ୍ୟ ଜିନିଷ ଦିଆଯାଏ ଆଉ ଦୁଇଟି ଯାକ ଜିନିଷର ଦାମ୍ ବରାବର ଥାଏ । ଆଦମ ଯାହା ହରାଇ ଦେଇଥିଲା ତାହାକୁ ପୁଣିଥରେ ପାଇବା ପାଇଁ ଯିହୋବା ବରାବର ଦାମ୍ ଦେଲେ । ଏହି ବ୍ୟବସ୍ଥା ଯୋଗୁଁ ଆମେ ଯିହୋବାଙ୍କ ସହ ମିଳିତ ହୋଇପାରୁ ଓ ପୁଣିଥରେ ତାଙ୍କ ସାଙ୍ଗ ହୋଇପାରୁ ।—ରୋମୀ. ୩:୨୫.
୯. ଇସ୍ରାଏଲୀୟମାନଙ୍କ ପାପ କ୍ଷମା କରିବା ପାଇଁ ଯିହୋବା କʼଣ ବ୍ୟବସ୍ଥା କରିଥିଲେ ?
୯ ପ୍ରାଚୀନ ସମୟରେ ଯିହୋବା ଇସ୍ରାଏଲୀୟମାନଙ୍କ ପାପ କ୍ଷମା କରିବା ପାଇଁ ଗୋଟିଏ ବ୍ୟବସ୍ଥା କରିଥିଲେ, ଯାହାଦ୍ୱାରା ସେମାନେ ତାଙ୍କ ସହ ଗୋଟେ ଭଲ ସମ୍ପର୍କ ଗଢ଼ିପାରନ୍ତେ । ଏହି ବ୍ୟବସ୍ଥା କିଛି ସମୟ ପାଇଁ ଥିଲା ଆଉ ଏହାକୁ ପ୍ରାୟଶ୍ଚିତ୍ତର ଦିନ କୁହାଯାଉଥିଲା । ଇସ୍ରାଏଲୀୟମାନେ ପ୍ରତି ବର୍ଷ ଏହି ବିଶେଷ ଦିନକୁ ପାଳନ କରୁଥିଲେ । ଏହି ଦିନ ମହାଯାଜକ ଲୋକମାନଙ୍କ ପାପ ପାଇଁ ପଶୁମାନଙ୍କର ବଳିଦାନ ଚଢ଼ାଉଥିଲେ । ଦେଖିବାକୁ ଗଲେ ଏହି ବଳିଦାନଗୁଡ଼ିକ ଯୋଗୁଁ ସେମାନଙ୍କୁ ନିଜ ପାପଗୁଡ଼ିକରୁ ପୂରାପୂରି କ୍ଷମା ମିଳିପାରୁ ନ ଥିଲା । କାହିଁକି ? କାରଣ ପଶୁମାନଙ୍କର ମୂଲ୍ୟ ମଣିଷଠାରୁ କମ୍ ଅଟେ । କିନ୍ତୁ ଯେବେ ଜଣେ ଇସ୍ରାଏଲୀୟ ହୃଦୟରୁ ପଶ୍ଚାତାପ କରୁଥିଲା ଏବଂ ନିୟମ ଅନୁସାରେ ବଳିଦାନ ଚଢ଼ାଉଥିଲା, ତେବେ ଯିହୋବା ତାʼ ପାପ କ୍ଷମା କରି ଦେଉଥିଲେ । (ଏବ୍ରୀ ୧୦:୧-୪) ପ୍ରାୟଶ୍ଚିତ୍ତର ଦିନ ଓ ଅନ୍ୟ ସମୟରେ ଯେବେ ଇସ୍ରାଏଲୀୟମାନେ ବଳିଦାନ ଚଢ଼ାଉଥିଲେ, ତେବେ ସେମାନଙ୍କୁ ଏହା ବି ଅନୁଭବ ହେଉଥିଲା ଯେ ସେମାନେ ପାପୀ ଅଟନ୍ତି । ଆଉ ତାଙ୍କୁ ଆହୁରି ଉତ୍ତମ ବଳିଦାନର ଆବଶ୍ୟକ ଅଛି । ଏପରି ବଳିଦାନ ଯେଉଁଥିରୁ ତାଙ୍କ ପାପ ପୂରାପୂରି କ୍ଷମା ହୋଇପାରନ୍ତା ।
୧୦. ଯିହୋବା ଆମ ପାପଗୁଡ଼ିକୁ ପୂରାପୂରି କ୍ଷମା କରିବା ପାଇଁ କʼଣ କଲେ ?
୧୦ ଆମ ମଣିଷମାନଙ୍କ ପାପଗୁଡ଼ିକୁ ପୂରାପୂରି କ୍ଷମା କରିବା ପାଇଁ ଯିହୋବା ଗୋଟିଏ ଉତ୍ତମ ବଳିଦାନର ବ୍ୟବସ୍ଥା କଲେ । ସେ ନିଜ ପ୍ରିୟ ପୁତ୍ରଙ୍କୁ “ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେମାତ୍ର ଉତ୍ସର୍ଗୀକୃତ” ହେବା ପାଇଁ ପୃଥିବୀକୁ ପଠାଇଲେ । (ଏବ୍ରୀ ୯:୨୮) ଆଉ ଯୀଶୁ ଏପରି ହିଁ କଲେ । ବାଇବଲରେ ଲେଖାଅଛି, ସେ ‘ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ୱରୂପ ପ୍ରାଣ ଦେଲେ ।’ (ମାଥି. ୨୦:୨୮) କିନ୍ତୁ ମୁକ୍ତିର ମୂଲ୍ୟର ଅର୍ଥ କʼଣ ?
ମୁକ୍ତିର ମୂଲ୍ୟ ଦିଆଗଲା
୧୧. (କ) ବାଇବଲ ଅନୁସାରେ ମୁକ୍ତିର ମୂଲ୍ୟ କʼଣ ? (ଖ) କେଉଁ ଭଳି ବ୍ୟକ୍ତି ମୁକ୍ତିର ମୂଲ୍ୟ ଦେଇପାରନ୍ତା ?
୧୧ ବାଇବଲ ଅନୁସାରେ ମୁକ୍ତିର ମୂଲ୍ୟ ସେହି ଦାମ୍ ଅଟେ ଯାହା ଈଶ୍ୱରଙ୍କ ସହ ମିଳିତ ହେବା ପାଇଁ ଓ ଆମ ପାପର ପ୍ରାୟଶ୍ଚିତ୍ତ ପାଇଁ ଦିଆଯାʼନ୍ତା । a ମୁକ୍ତିର ମୂଲ୍ୟର ଆଧାରରେ ହିଁ ଆମକୁ ଆଦମ ଯାହା ହରାଇ ଥିଲା, ସେସବୁ ପୁଣିଥରେ ମିଳିପାରନ୍ତା । ସେ କʼଣ ହରାଇଥିଲା ? ଆଦମ ଓ ହବା ନିଜ ପରିପୂର୍ଣ୍ଣ ଜୀବନ ଓ ସବୁଦିନ ବଞ୍ଚିବାର ଆଶା ହରାଇ ଦେଇଥିଲେ । ତେଣୁ ଯେକେହି ମୁକ୍ତିର ମୂଲ୍ୟ ଦିଅନ୍ତା ତାଙ୍କଠାରେ ଆଦମ ଯାହା ହରାଇ ଦେଇଥିଲା ସେସବୁ ଜିନିଷ ରହିବା ଜରୁରୀ ଥିଲା, ଅର୍ଥାତ୍ ତାକୁ ପୂରାପୂରି ଆଦମ ଭଳି ହେବାର ଥିଲା । (୧ ତୀମ. ୨:୬) ଏହାର ଅର୍ଥ (୧) ଯେଉଁ ବ୍ୟକ୍ତି ପରିପୂର୍ଣ୍ଣ ହୁଅନ୍ତା, (୨) ଯାହାଙ୍କ ପାଖରେ ସବୁଦିନ ବଞ୍ଚିବାର ଆଶା ହୁଅନ୍ତା ଏବଂ (୩) ଯିଏ ଆମ ପାଇଁ ନିଜ ଜୀବନ ଦେବା ପାଇଁ ପ୍ରସ୍ତୁତ ହୁଅନ୍ତା, ସେ ହିଁ ମୁକ୍ତିର ମୂଲ୍ୟ ଦେଇପାରନ୍ତା । ଆଉ ଏପରି ବ୍ୟକ୍ତିର ବଳିଦାନ ଦ୍ୱାରା ହିଁ ଆମକୁ ସେସବୁ ମିଳିପାରନ୍ତା, ଯାହା ଆଦମ ହରାଇ ଦେଇଥିଲା ।
୧୨. ଆମେ କାହିଁକି କହିପାରିବା ଯେ କେବଳ ଯୀଶୁ ହିଁ ମୁକ୍ତିର ମୂଲ୍ୟ ଦେଇପାରିଥାʼନ୍ତେ ?
୧୨ ଆମେ କାହିଁକି କହିପାରିବା ଯେ ମୁକ୍ତିର ମୂଲ୍ୟ କେବଳ ଯୀଶୁ ଖ୍ରୀଷ୍ଟ ହିଁ ଦେଇପାରନ୍ତେ ? କାରଣ (୧) ଯୀଶୁ ପରିପୂର୍ଣ୍ଣ ଥିଲେ ଓ ସେ କେବେ “କୌଣସି ପାପ କଲେ ନାହିଁ ।” (୧ ପିତ. ୨:୨୨) (୨) ପରିପୂର୍ଣ୍ଣ ହେବା ଯୋଗୁଁ ସେ ପୃଥିବୀରେ ସବୁଦିନ ପାଇଁ ବଞ୍ଚିପାରିଥାʼନ୍ତେ । (୩) ସେ ଆମ ପାଇଁ ନିଜ ପରିପୂର୍ଣ୍ଣ ଜୀବନ ବଳିଦାନ କରିବା ପାଇଁ ପ୍ରସ୍ତୁତ ଥିଲେ । (ଏବ୍ରୀ ୧୦:୯, ୧୦) ସେ ଆଦମ ଭଳି ପରିପୂର୍ଣ୍ଣ ଥିଲେ, ତେଣୁ ସେ ଆମ ପାଇଁ ମୁକ୍ତିର ମୂଲ୍ୟ ଦେଇପାରନ୍ତେ ଓ ଆଦମ ଯାହା ହରାଇଥିଲା ସେସବୁ ଆମକୁ ମିଳିପାରନ୍ତା । (ରୋମୀ. ୫:୧୯; ୧ କରି. ୧୫:୪୫) ଏହି କାରଣ ଯୋଗୁଁ ବାଇବଲରେ ତାଙ୍କୁ “ଶେଷ ଆଦମ” କୁହାଯାଇଛି । ଯୀଶୁ ‘ଏକାଥରକେ ଆପଣାକୁ ଉତ୍ସର୍ଗ କରିଅଛନ୍ତି ।’ ସେଥିପାଇଁ ଏବେ ଆମକୁ ଆଉ କୌଣସି ପରିପୂର୍ଣ୍ଣ ମଣିଷର ବଳିଦାନର ଆବଶ୍ୟକ ନାହିଁ ।—ଏବ୍ରୀ ୭:୨୭; ୧୦:୧୨.
୧୩. ଯିହୋବା ଏପରି କʼଣ କରିଛନ୍ତି ଯାହା ସାହାଯ୍ୟରେ ଆମେ ତାଙ୍କ ସହିତ ଗୋଟିଏ ଭଲ ସମ୍ପର୍କ ଗଢ଼ିପାରିବା ?
୧୩ ଏବେ ଯାଏ ଆମେ ଦେଖିଲୁ ଯେ ଯିହୋବା ଆମ ପାଇଁ ଯେଉଁ ପ୍ରାୟଶ୍ଚିତ୍ତର ବ୍ୟବସ୍ଥା କଲେ ତାʼଯୋଗୁଁ ଆମକୁ ନିଜ ପାପରୁ କ୍ଷମା ମିଳିପାରେ ଓ ତାଙ୍କ ସହିତ ଆମେ ଗୋଟିଏ ଭଲ ସମ୍ପର୍କ ଗଢ଼ି ପାରିଥାଉ । କିନ୍ତୁ ପାପର ପ୍ରାୟଶ୍ଚିତ୍ତ ପାଇଁ ମୁକ୍ତିର ମୂଲ୍ୟ ଦେବା ଜରୁରୀ ଥିଲା । ଯୀଶୁ ନିଜକୁ ବଳିଦାନ କରି ଏହି ମୂଲ୍ୟ ଦେଲେ । (ଏଫି. ୧:୭; ଏବ୍ରୀ ୯:୧୪) ଏହା ଯୋଗୁଁ କʼଣ ସମ୍ଭବ ହୋଇପାରିଛି । ଆସନ୍ତୁ ସେବିଷୟରେ ଜାଣିବା ।
ଆମକୁ ମୁକ୍ତ କରାଗଲା ଏବଂ ଧାର୍ମିକ ଗଣିତ କରାଗଲା
୧୪. ଆମେ କେଉଁ ଶବ୍ଦଗୁଡ଼ିକର ଅର୍ଥ ଜାଣିବା ଓ କାହିଁକି ?
୧୪ ପ୍ରାୟଶ୍ଚିତ୍ତର ବ୍ୟବସ୍ଥା ଯୋଗୁଁ ଆମକୁ ଅନେକ ଲାଭ ହୋଇଥାଏ । ଏହାକୁ ବୁଝିବା ପାଇଁ ଆମକୁ ବାଇବଲର କିଛି ଶବ୍ଦ ଉପରେ ଧ୍ୟାନ ଦେବାକୁ ପଡ଼ିବ । ତାହା ହେଉଛି, ମୁକ୍ତ ଓ ଧାର୍ମିକ ଗଣିତ କରାଯିବା । ଏହି ଶବ୍ଦଗୁଡ଼ିକର ଅର୍ଥ ବୁଝିଲେ ଆମେ ଜାଣିପାରିବା ଯେ ଯେବେ ଯିହୋବା ଆମକୁ କ୍ଷମା କରନ୍ତି, ତେବେ ଆମକୁ ଆଉ କʼଣ ଲାଭ ହୁଏ ।
୧୫-୧୬. (କ) ମୁକ୍ତିର ମୂଲ୍ୟ ଦେବା ଯୋଗୁଁ ଆମକୁ କʼଣ ଲାଭ ମିଳିଛି ? (ଖ) ଆପଣ ପାପ ଓ ମୃତ୍ୟୁରୁ ମୁକ୍ତ ହୋଇପାରିବେ, ଏହା ଜାଣି ଆପଣଙ୍କୁ କିପରି ଲାଗେ ?
୧୫ ବାଇବଲରେ କୁହାଯାଇଛି ଯେ ମୁକ୍ତିର ମୂଲ୍ୟ ଦେଇ ଆମକୁ ମୁକ୍ତ କରାଯାଇଛି । ଏବିଷୟରେ ପ୍ରେରିତ ପିତର ଲେଖିଲେ, “ଯେଣୁ ତୁମ୍ଭେମାନେ ଜାଣ ଯେ, ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାରବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ ।”—୧ ପିତ. ୧:୧୮, ୧୯.
୧୬ ମୁକ୍ତିର ମୂଲ୍ୟ ଯୋଗୁଁ ଆମେ ପାପ ଓ ମୃତ୍ୟୁରୁ ମୁକ୍ତ ହୋଇପାରିଛୁ । (ରୋମୀ. ୫:୨୧) ଯୀଶୁ ଆମ ପାଇଁ ନିଜକୁ ବଳିଦାନ କରି ଆମକୁ ମୁକ୍ତ କଲେ । ସେଥିପାଇଁ ଆମେ ଯିହୋବା ଓ ଯୀଶୁଙ୍କ ବହୁତ କୃତଜ୍ଞ ।—୧ କରି. ୧୫:୨୨.
୧୭-୧୮. (କ) ଧାର୍ମିକ ଗଣିତ ହେବାର ଅର୍ଥ କʼଣ ? (ଖ) ଧାର୍ମିକ ଗଣିତ ହେବା ଯୋଗୁଁ କʼଣ ଲାଭ ହୁଏ ?
୧୭ ବାଇବଲରେ ଯିହୋବାଙ୍କ ସେବକମାନଙ୍କୁ ଧାର୍ମିକ ବୋଲି କୁହାଯାଇଛି । ଏହାର ଅର୍ଥ ଯିହୋବା ଆମକୁ ସବୁ ଆରୋପରୁ ମୁକ୍ତ କରିଦେଇଛନ୍ତି ଓ ଆମ ପାପଗୁଡ଼ିକୁ ପୂରାପୂରି କ୍ଷମା କରିଦେଇଛନ୍ତି । କିନ୍ତୁ ଏପରି କରି କʼଣ ଯିହୋବା ଠିକ୍ରେ ନ୍ୟାୟ କରି ନାହାନ୍ତି ? ନା । ଏପରି ନୁହେଁ ଯେ ଯିହୋବା ଆମ ପାପଗୁଡ଼ିକୁ ଅଣଦେଖା କରିଦିଅନ୍ତି କିମ୍ବା ଆମ ଭଲ କାମଗୁଡ଼ିକୁ ଦେଖି ଆମକୁ ଧାର୍ମିକ ମନେ କରନ୍ତି । ତାʼ ପରିବର୍ତ୍ତେ ଯିହୋବା ଏଥିପାଇଁ ଆମ ଋଣ ବା ପାପ କ୍ଷମା କରିଦିଅନ୍ତି, କାରଣ ମୁକ୍ତିର ମୂଲ୍ୟ ଦିଆଯାଇ ସାରିଛି ଆଉ ଆମେ ସେହି ପ୍ରାୟଶ୍ଚିତ୍ତର ବ୍ୟବସ୍ଥା ଉପରେ ବିଶ୍ୱାସ କରୁ ।—ରୋମୀ. ୩:୨୪; ଗାଲା. ୨:୧୬.
୧୮ ଯିହୋବା ଆମକୁ ବି ଧାର୍ମିକ ଗଣିତ କରିଛନ୍ତି, ଏଥିରୁ ଆମକୁ କʼଣ ଲାଭ ହୁଏ ? ଯେଉଁମାନଙ୍କୁ ଯୀଶୁଙ୍କ ସହ ସ୍ୱର୍ଗରେ ଯାଇ ଶାସନ କରିବା ପାଇଁ ବଛାଯାଇଛି, ସେମାନଙ୍କୁ ଈଶ୍ୱରଙ୍କ ସନ୍ତାନ କୁହାଯାଇଛି । (ତୀତ. ୩:୭; ୧ ଯୋହ. ୩:୧) ଯିହୋବା ସେମାନଙ୍କ ପାପ କ୍ଷମା କରିଦେଇଛନ୍ତି । ଏହା ଏପରି ଅଟେ ସତେ ଯେପରି ସେମାନଙ୍କୁ ପ୍ରତ୍ୟେକ ଆରୋପରୁ ମୁକ୍ତ କରି ଦିଆଯାଇଛି । ତେଣୁ ସେମାନେ ସ୍ୱର୍ଗରେ ଯାଇ ଯୀଶୁଙ୍କ ସହିତ ଶାସନ କରିପାରିବେ । (ରୋମୀ. ୮:୧, ୨, ୩୦) ଆଉ ଯେଉଁମାନଙ୍କୁ ପୃଥିବୀରେ ବଞ୍ଚିବାର ଆଶା ଅଛି, ଯିହୋବା ସେମାନଙ୍କୁ ବି ଧାର୍ମିକ ମନେ କରନ୍ତି । ସେ ସେମାନଙ୍କ ପାପ କ୍ଷମା କରିଦେଇଛନ୍ତି ଓ ସେମାନଙ୍କୁ ନିଜ ସାଙ୍ଗ ହେବା ପାଇଁ ସୁଯୋଗ ଦେଇଛନ୍ତି । (ଯାକୁ. ୨:୨୧-୨୩) ଆଉ ଯେଉଁ ମହାଜନତା ହର୍ମିଗିଦ୍ଦୋନ୍ରୁ ରକ୍ଷା ପାଇବ ତାʼ ପାଖରେ ସବୁଦିନ ପାଇଁ ବଞ୍ଚିବାର ସୁଯୋଗ ଥିବ । (ଯୋହ. ୧୧:୨୬) କିନ୍ତୁ ଯେଉଁ “ଧାର୍ମିକ” ଓ “ଅଧାର୍ମିକ” ଲୋକମାନଙ୍କର ମୃତ୍ୟୁ ହୋଇଯାଇଛି, ସେମାନଙ୍କୁ କିପରି ଲାଭ ହେବ ? (ପ୍ରେରି. ୨୪:୧୫; ଯୋହ. ୫:୨୮, ୨୯) ଶେଷରେ ପୃଥିବୀରେ ଈଶ୍ୱରଙ୍କ ସମସ୍ତ ବିଶ୍ୱସ୍ତ ସେବକମାନେ ତାଙ୍କ ସନ୍ତାନ ହେବାର ‘ଗୌରବମୟ ସ୍ୱାଧୀନତା ପ୍ରାପ୍ତି ହେବେ ।’ (ରୋମୀ. ୮:୨୧) ପ୍ରାୟଶ୍ଚିତ୍ତର ବ୍ୟବସ୍ଥା ଯୋଗୁଁ ଯିହୋବାଙ୍କ ସହିତ ମଣିଷମାନେ ପୂରାପୂରି ମିଳିତ ହୋଇଯିବେ । ଏହା ଆମ ପାଇଁ କେତେ ବଢ଼ିଆ ଆଶିଷ ଅଟେ !
୧୯. ଯିହୋବା ଓ ଯୀଶୁ ଆମ ପାଇଁ ଯାହା କଲେ, ସେଥିରୁ ଆମ ପରିସ୍ଥିତି କିପରି ବଦଳିଗଲା ? (“ ଆମକୁ କିପରି ଯିହୋବାଙ୍କଠାରୁ କ୍ଷମା ମିଳିଲା ?” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)
୧୯ ପୁଣିଥରେ ସେହି ଯୁବକ ବିଷୟରେ ଭାବନ୍ତୁ ଯିଏ ନିଜ ସବୁକିଛି ହରାଇ ଦେଇଥିଲା । ତାʼର ଋଣ ଏତେ ବଡ଼ ଥିଲା ଯେ କେହି ବି ତାହାକୁ ସୁଝିପାରି ନ ଥାʼନ୍ତେ । ଆମ ପରିସ୍ଥିତି ବି ସେହି ଯୁବକ ଭଳି ଥିଲା । କିନ୍ତୁ ଯିହୋବା ମୁକ୍ତିର ମୂଲ୍ୟ ଦେଇ ଆମକୁ ସାହାଯ୍ୟ କଲେ । ସେ ଆମ ପାଇଁ ପ୍ରାୟଶ୍ଚିତ୍ତର ବ୍ୟବସ୍ଥା କଲେ ଓ ମୁକ୍ତିର ମୂଲ୍ୟ ଦେବା ପାଇଁ ଯୀଶୁଙ୍କୁ ପୃଥିବୀକୁ ପଠାଇଲେ । ଆମେ ଯୀଶୁଙ୍କ ଉପରେ ବିଶ୍ୱାସ କରୁ, ତେଣୁ ଆମକୁ ପାପ ଓ ମୃତ୍ୟୁରୁ ମୁକ୍ତ କରାଯାଇଛି । ଏହା ବ୍ୟତୀତ ଆମ ପାପଗୁଡ଼ିକୁ ପୂରାପୂରି କ୍ଷମା କରି ଦିଆଯାଇଛି । ଆଉ ସବୁଠୁ ବଡ଼ କଥା ଏହା ଯେ ଏହି କାରଣ ଯୋଗୁଁ ଆମେ ଯିହୋବାଙ୍କ ସହିତ ଗୋଟିଏ ଭଲ ସମ୍ପର୍କ ଗଢ଼ିପାରିଛୁ ।
୨୦. ପରବର୍ତ୍ତୀ ଲେଖାରେ ଆମେ କʼଣ ଚର୍ଚ୍ଚା କରିବା ?
୨୦ ଯେବେ ଆମେ ଭାବୁ ଯେ ଯିହୋବା ଓ ଯୀଶୁ ଆମ ପାଇଁ କେତେ କʼଣ କରିଛନ୍ତି, ତେବେ ଆମ ହୃଦୟ କୃତଜ୍ଞତାରେ ଭରିଯାଏ । (୨ କରି. ୫:୧୫) ଯଦି ସେମାନେ ଆମକୁ ସାହାଯ୍ୟ କରି ନ ଥାʼନ୍ତେ, ତାହେଲେ ଆମ ପାଖରେ କୌଣସି ଆଶା ନ ଥାʼନ୍ତା । ପରବର୍ତ୍ତୀ ଲେଖାରେ ଆମେ କିଛି ଉଦାହରଣଗୁଡ଼ିକୁ ଧ୍ୟାନ ଦେବା ଓ ଶିଖିବା ଯେ ଯିହୋବା କିପରି ଆମକୁ କ୍ଷମା କରନ୍ତି ।
ଗୀତ ୧୦ ୟହୋୱା, ମହାନ୍ ପରମେଶ୍ୱର
a କିଛି ଭାଷାରେ “ମୁକ୍ତିର ମୂଲ୍ୟ” ଶବ୍ଦର ଅନୁବାଦ ଏପରି ବି କରାଯାଇଛି, “ଜୀବନର ମୂଲ୍ୟ” କିମ୍ବା “ଦେୟ ।”