ଭାଗ ୨୨
ପ୍ରେରିତମାନେ ନିର୍ଭୟରେ ପ୍ରଚାର କରିଥିଲେ
ତାଡ଼ନା ସତ୍ତ୍ୱେ ଖ୍ରୀଷ୍ଟିୟମଣ୍ଡଳୀ ଦୃତଗତିରେ ବୃଦ୍ଧି ପାଇଲା
ଯୀଶୁଙ୍କ ସ୍ୱର୍ଗାରୋହଣର ଦଶ ଦିନପରେ, ୩୩ଖ୍ରୀଷ୍ଟାବ୍ଦରେ ଯିହୂଦୀ ପର୍ବ ପେଣ୍ଟିକଷ୍ଟ ଦିନରେ ପ୍ରାୟ ୧୨୦ଜଣ ତାହାଙ୍କ ଶିଷ୍ୟମାନେ ଯିରୁଶାଲମରେ ଗୋଟିଏ ଗୃହରେ ଏକତ୍ରିତ ହୋଇଥିଲେ । ହଠାତ୍ ସେହି ଗୃହଟି ଝଡ଼ର ଶବ୍ଦରେ କମ୍ପିଉଠିଲା । ଶିଷ୍ୟମାନେ ଚମତ୍କାରଭାବେ ଭିନ୍ନ ଭିନ୍ନ ଭାଷା କହିବାକୁ ଲାଗିଲେ ଯାହା ସେମାନେ ନିଜେ ବୁଝିପାରୁ ନଥିଲେ । ଏହି ଅଦ୍ଭୁତ ଘଟଣାର କାରଣ କʼଣ ହୋଇ ପାରେ ? ଈଶ୍ୱର ଶିଷ୍ୟମାନଙ୍କୁ ପବିତ୍ର ଆତ୍ମା ଦେଇଥିଲେ ।
ବାହାରେ ଏକ ବିରାଟ ଜନଗହଳି ଥିଲା, କାରଣ ଅନେକ ଅତିଥିମାନେ ପର୍ବ ପାଇଁ ଅନେକ ଦୂର ଜାଗାଗୁଡ଼ିକରୁ ଆସିଥିଲେ । ସେମାନେ ଅବାକ୍ ହୋଇଗଲେ କାରଣ ଯୀଶୁଙ୍କ ଶିଷ୍ୟମାନେ ଯାହାଯାହା କହୁଥିଲେ ତାହା ସମସ୍ତେ ନିଜ ନିଜ ଭାଷାରେ ବୁଝିପାରୁଥିଲେ । ଏହି ବିଷୟରେ କହିବାକୁ ଯାଇ ପିତର, ଯୋୟେଲ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ଉଲ୍ଲେଖିତ ଭବିଷ୍ୟତବାଣୀକୁ ଉଦ୍ଧୃତ କରି କହିଲେ ଈଶ୍ୱର ନିଜ ଆତ୍ମାକୁ ‘ଢାଳିବେ’ ଏବଂ ଏହା ଯିଏ ପ୍ରାପ୍ତକରିବ ସେ ଅଲୌକିକ କାର୍ଯ୍ୟ କରି ପାରିବ । (ଯୋୟେଲ ୨:୨୮, ୨୯) ଏହି ଶକ୍ତିଶାଳୀ ପବିତ୍ର ଶକ୍ତି ଦ୍ୱାରା ଏହା ପ୍ରମାଣିତ ହୁଏ ଯେ ଆଗକୁ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି: ଈଶ୍ୱର ନିଜର ଅନୁଗ୍ରହକୁ ଇସ୍ରାଏଲମାନଙ୍କଠାରୁ ଉଠେଇ ଆଣି ନୂତନଭାବେ ଗଢ଼ିଉଠିଥିବା ଖ୍ରୀଷ୍ଟିୟମଣ୍ଡଳୀକୁ ଦେବେ । ଯେଉଁମାନେ ଈଶ୍ୱରଙ୍କୁ ପ୍ରକୃତରେ ସେବାକରିବାକୁ ଚାହାଁନ୍ତି ସେମାନେ ବର୍ତ୍ତମାନ ଖ୍ରୀଷ୍ଟଙ୍କ ଅନୁଗାମୀ ହେବାକୁ ପଡ଼ିବ ।
ଏହାପରେ ସେମାନଙ୍କ ବିରୋଧୀତା ବଢ଼ିବାକୁ ଲାଗିଲା ଏବଂ ଶତ୍ରୁମାନେ ଶିଷ୍ୟମାନଙ୍କୁ କାରାଗାରରେ ବନ୍ଦୀକରି ରଖିଲେ । କିନ୍ତୁ ରାତ୍ରି ସମୟରେ, ଯିହୋବାଙ୍କ ସ୍ୱର୍ଗଦୂତ ବନ୍ଦୀଗୃହର ଦ୍ୱାରଗୁଡ଼ିକ ଖୋଲିଦେଲା ଓ ଶିଷ୍ୟମାନଙ୍କୁ ପ୍ରଚାରକାମ ଜାରି ରଖିବାକୁ ନିର୍ଦ୍ଦେଶ ଦେଲେ । ପରଦିନ ସକାଳୁ ସେମାନେ ତାହା ହିଁ କରିଥିଲେ । ସେମାନେ ମନ୍ଦିରରେ ପ୍ରବେଶ କଲେ ଏବଂ ଯୀଶୁଙ୍କ ବିଷୟରେ ସୁସମାଚାର ଶିକ୍ଷାଦେବାକୁ ଲାଗିଲେ । ସେମାନଙ୍କ ଧର୍ମ ବିରୋଧୀମାନେ ଅତି କ୍ରୋଧୀତ ହେଲେ ଏବଂ ସେମାନଙ୍କୁ ପ୍ରଚାର ବନ୍ଦ କରିବାକୁ ଆଦେଶ ଦେଲେ । ପ୍ରେରିତମାନେ ନିର୍ଭୟରେ ଉତ୍ତର ଦେଇ କହିଲେ: “ମନୁଷ୍ୟମାନଙ୍କର ଆଜ୍ଞା ଅପେକ୍ଷା ବରଂ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ ।”—ପ୍ରେରିତ ୫:୨୮, ୨୯.
ତାଡ଼ନା ବଢ଼ିବାକୁ ଲାଗିଲା । ନିର୍ଦ୍ଧିଷ୍ଟ କେତେକ ଯିହୂଦୀ ସ୍ତିଫାନଙ୍କୁ ଈଶ୍ୱର ନିନ୍ଦକ ବୋଲି ଦୋଷାରୋପ କରି ପଥର ଫୋପାଡ଼ି ମାରିଲେ । ତର୍ସୁସର ଶାଉଲ ନାମକ ଜଣେ ଯୁବକ ଏହି ହତ୍ୟାକୁ ପୂର୍ଣ୍ଣସମର୍ଥନ କରିଥିଲେ । ତାʼପରେ ସେ ଖ୍ରୀଷ୍ଟଙ୍କ ଅନୁଗାମୀମାନଙ୍କୁ ବନ୍ଦୀକରିବା ପାଇଁ ଦମ୍ମେସକକୁ ଚାଲିଗଲେ । ରାସ୍ତାରେ ଯାଉଥିବା ସମୟରେ ସ୍ୱର୍ଗରୁ ଏକ ଆଲୋକ ଝଲସି ଉଠିଲା ଏବଂ ତାହାଙ୍କ ଚାରିପଟେ ଆଲୋକିତ ହେଲା ଆଉ ଏକ ସ୍ୱର ଏହା କହିଲା: “ହେ ଶାଉଲ, ହେ ଶାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ ?” ସେହି ଆଲୋକରେ ଶାଉଲ ଅନ୍ଧ ହୋଇଯାʼନ୍ତି ଆଉ ପଚାରନ୍ତି: “ଆପଣ କିଏ ?” ତହୁଁ ସେହି ସ୍ୱର ଉତ୍ତର ଦେଇ କହିଲେ: “ଆମ୍ଭେ ସେହି ଯୀଶୁ ।”—ପ୍ରେରିତ ୯:୩-୫.
ଏହାର ତିନିଦିନ ପରେ, ଯୀଶୁ ହନନିୟ ନାମକ ଜଣେ ଶିଷ୍ୟଙ୍କୁ ପଠେଇ ଶାଉଲଙ୍କ ଦୃଷ୍ଟିଶକ୍ତିକୁ ଫେରାଇ ଦେଲେ । ଶାଉଲ ବାପ୍ତିସ୍ମ ନେଲେ ଓ ସାହସର ସହିତ ଯୀଶୁଙ୍କ ବିଷୟରେ ପ୍ରଚାର କରିବାକୁ ଲାଗିଲେ । ଶେଷରେ ଶାଉଲ ପ୍ରେରିତ ପାଉଲ ନାମରେ ଜଣାଗଲେ ଏବଂ ସେ ଜଣେ ଉଦ୍ଯୋଗୀ ସଭ୍ୟରୂପେ ଖ୍ରୀଷ୍ଟିୟମଣ୍ଡଳୀରେ ସ୍ଥାନ ପାଇଲେ ।
ଯୀଶୁଙ୍କ ଶିଷ୍ୟମାନେ କେବଳ ଯିହୂଦୀ ଓ ଶମିରୋଣୀୟଙ୍କଠାରେ ଈଶ୍ୱରଙ୍କ ରାଜ୍ୟର ସୁସମାଚାରକୁ ଘୋଷଣା କରିଥିଲେ । ଜଣେ ସ୍ୱର୍ଗଦୂତ ଈଶ୍ୱର ଭୟାଳୁ କର୍ଣ୍ଣୀଲିୟ ନାମକ ଜଣେ ରୋମୀୟ ସେନାପତିଙ୍କୁ ଦର୍ଶନ ଦେଇ କହିଲେ କି ସେ ପ୍ରେରିତ ପିତରଙ୍କୁ ଡାକି ପଠାଉ । ପିତର ଓ ଅନ୍ୟମାନେ ମିଶି କର୍ଣ୍ଣୀଲିୟ ଏବଂ ତାହାଙ୍କ ପରିବାର ଲୋକଙ୍କ ପାଖରେ ପ୍ରଚାର କଲେ । ପିତର କହୁଥିବା ସମୟରେ, ସେହି ଅନ୍ୟଜାତି ବିଶ୍ୱାସୀଙ୍କ ଉପରେ ପବିତ୍ର ଆତ୍ମା ଆସିଲା ଏବଂ ପ୍ରେରିତ ସେମାନଙ୍କୁ ଯୀଶୁଙ୍କ ନାମରେ ବାପ୍ତିସ୍ମ ଦେବା ନିମନ୍ତେ ନିର୍ଦ୍ଦେଶ ଦେଲେ । ବର୍ତ୍ତମାନ ଅନନ୍ତ ଜୀବନର ପଥ ସମସ୍ତ ଜାତିର ଲୋକଙ୍କ ନିମନ୍ତେ ଖୋଲା ଗଲା । ଏହାପରେ ମଣ୍ଡଳୀ ବ୍ୟାପକଭାବେ ଦୂର ଦୂର ଦେଶ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କରିବା ପାଇଁ ପ୍ରସ୍ତୁତ ହେଲା ।
—ଏହା ପ୍ରେରିତ ୧:୧-୧୧:୨୧ ପଦ ଉପରେ ଆଧାରିତ ।