ପାଠ ୯
ସଭାଗୁଡ଼ିକ ପାଇଁ ପ୍ରସ୍ତୁତି କରିବାର ସବୁଠାରୁ ଭଲ ଉପାୟ କʼଣ ?
ଯଦି ଆପଣ ଯିହୋବାଙ୍କ ସାକ୍ଷୀମାନଙ୍କ ସହିତ ବାଇବଲ ଅଧ୍ୟୟନ କରୁଛନ୍ତି, ହୁଏତ ଆପଣ ପ୍ରତ୍ୟେକ ଅଧ୍ୟୟନର ପୂର୍ବରୁ ପ୍ରସ୍ତୁତି କରିବା ପାଇଁ ଚେଷ୍ଟା କରୁଥିବେ । ଠିକ୍ ସେହିପରି ମଣ୍ଡଳୀର ସଭାଗୁଡ଼ିକ ପୂର୍ବରୁ ପ୍ରସ୍ତୁତି କରିବା ଦ୍ୱାରା ଆମକୁ ଅଧିକରୁ ଅଧିକ ଲାଭ ମିଳେ । କିନ୍ତୁ ଉତ୍ତମ ପ୍ରସ୍ତୁତି ପାଇଁ ଗୋଟିଏ ଭଲ କାର୍ଯ୍ୟସୂଚୀ ହେବା ଆବଶ୍ୟକ ।
ଆପଣ କେବେ ଓ କେଉଁଠାରେ ଅଧ୍ୟୟନ କରିବେ, ତାହା ସ୍ଥିର କରନ୍ତୁ । ଆପଣ କେଉଁ ସମୟରେ ଧ୍ୟାନର ସହିତ ପଢ଼ିପାରନ୍ତି ? ଭୋର ସକାଳେ ନିଜ କାମ ଆରମ୍ଭ କରିବା ପୂର୍ବରୁ, କିମ୍ବା ରାତିରେ ଯେତେବେଳେ ଆପଣଙ୍କ ପିଲାମାନେ ଶୋଇପଡ଼ନ୍ତି ? ଯଦିଓ ଆପଣ ଅଧିକ ସମୟ ପାଇଁ ଅଧ୍ୟୟନ କରି ନ ପାରନ୍ତି, ତଥାପି ନିଶ୍ଚିତ କରନ୍ତୁ ଯେ ଆପଣ ଅଧ୍ୟୟନ ପାଇଁ କେତେ ସମୟ ଦେବେ । ଆପଣଙ୍କ ଅଧ୍ୟୟନରେ କୌଣସି ବାଧା ଆସିବାକୁ ଦିଅନ୍ତୁ ନାହିଁ । ଏକ ଶାନ୍ତ ଜାଗା ବାଛନ୍ତୁ, ଯେଉଁଠାରେ କୌଣସି ପାଟିତୁଣ୍ଡ ହେଉ ନ ଥିବ । ରେଡିଓ, ଟେଲିଭିଜନ ଏବଂ ମୋବାଇଲ ଭଳି ଧ୍ୟାନ ଭଙ୍ଗ କରୁଥିବା ଜିନିଷଗୁଡ଼ିକୁ ବନ୍ଦ କରିଦିଅନ୍ତୁ । ଅଧ୍ୟୟନ କରିବା ପୂର୍ବରୁ ପ୍ରାର୍ଥନା କରିବା ଦ୍ୱାରା ଆପଣଙ୍କୁ ନିଜ ଚିନ୍ତାଗୁଡ଼ିକ ବିଷୟରେ ନ ଭାବିବା ପାଇଁ ସାହାଯ୍ୟ ମିଳିବ । ଏହାଦ୍ୱାରା ଆପଣ ଈଶ୍ୱରଙ୍କ ବାକ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇପାରିବେ ।—ଫିଲିପ୍ପୀୟ ୪:୬, ୭.
ଉତ୍ତରଗୁଡ଼ିକରେ ଚିହ୍ନ ଦିଅନ୍ତୁ ଏବଂ ଭାଗ ନେବା ପାଇଁ ପ୍ରସ୍ତୁତି କରନ୍ତୁ । କୌଣସି ଲେଖା କିମ୍ବା ଅଧ୍ୟାୟର ପ୍ରସ୍ତୁତି କରିବା ପାଇଁ ସର୍ବପ୍ରଥମେ ତାʼ ଉପରେ ଏକ ସଂକ୍ଷିଯ୍ତ ନଜର ଦିଅନ୍ତୁ । ଏହାର ଶୀର୍ଷକ ଉପରେ ଧ୍ୟାନ ଦିଅନ୍ତୁ । ତାʼପରେ ଦେଖନ୍ତୁ ଯେ ପ୍ରତ୍ୟେକ ଉପଶୀର୍ଷକର ମୁଖ୍ୟ ବିଷୟ ସହିତ କେମିତି ସମ୍ବନ୍ଧ ରହିଛି । ଚିତ୍ରଗୁଡ଼ିକ ଏବଂ ଲେଖା କିମ୍ବା ଅଧ୍ୟାୟର ଶେଷରେ ଥିବା ପ୍ରଶ୍ନଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ । ସଂକ୍ଷିଯ୍ତ ନଜର ଦେବା ପରେ ଗୋଟିଏ ପରେ ଗୋଟିଏ ଅନୁଚ୍ଛେଦ ପଢ଼ନ୍ତୁ ଏବଂ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ସଠିକ୍ ଉତ୍ତର ପାଇବାକୁ ଚେଷ୍ଟା କରନ୍ତୁ । ସେଥିରେ ଦିଆଯାଇଥିବା ପଦଗୁଡ଼ିକୁ ବାଇବଲରୁ ଖୋଲି ପଢ଼ନ୍ତୁ ଏବଂ ମୁଖ୍ୟ ବିଷୟ ସହିତ ପଦଗୁଡ଼ିକର କିପରି ସମ୍ବନ୍ଧ ରହିଛି ଜାଣିବାକୁ ଚେଷ୍ଟା କରନ୍ତୁ । (ପ୍ରେରିତ ୧୭:୧୧) ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପରେ ଅନୁଚ୍ଛେଦର ମୁଖ୍ୟ ଶବ୍ଦଗୁଡ଼ିକୁ ଚିହ୍ନ ଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କୁ ଦେଖିବା ମାତ୍ରେ ଉତ୍ତର ମନେ ପଡ଼ିଯିବ । ତାʼପରେ ସଭାରେ, ଯଦି ଆପଣ ଚାହିଁବେ, ହାତ ଉଠାଇ ନିଜ ଶବ୍ଦରେ ଛୋଟିଆ ଉତ୍ତର ଦେଇପାରିବେ ।
ପ୍ରତ୍ୟେକ ସପ୍ତାହର ସଭାଗୁଡ଼ିକରେ ବିଭିନ୍ନ ବିଷୟ ଉପରେ ଚର୍ଚ୍ଚା କରାଯାଏ । ଯଦି ଆପଣ ପୂର୍ବରୁ ପ୍ରସ୍ତୁତି କରିବେ, ତେବେ ଅନେକ ନୂଆ ନୂଆ କଥା ଶିଖିପାରିବେ ଏବଂ ଜ୍ଞାନର “ଆପଣା ଭଣ୍ଡାର” ବଢ଼ାଇପାରିବେ ।—ମାଥିଉ ୧୩:୫୧, ୫୨.
-
ସଭାଗୁଡ଼ିକ ପାଇଁ ପ୍ରସ୍ତୁତି କରିବାକୁ ଆପଣ କିପରି କାର୍ଯ୍ୟସୂଚୀ ତିଆରି କରିପାରିବେ ?
-
ସଭାଗୁଡ଼ିକରେ ଉତ୍ତର ଦେବା ପାଇଁ ଆପଣ କେମିତି ପ୍ରସ୍ତୁତି କରିପାରିବେ ?